ଶିଳ୍ପ ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ନାମରେ ଥାନାରେ ଅଭିଯୋଗ
ପାରାଦ୍ୱୀପ,: ପାରାହୀପ ପୋର୍ଟ ଡ଼ିଏଲଆର୍ସ ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନର ଲେଟର ପ୍ୟାଡ଼କୁ ନକଲ କରି ପ୍ରକାଶ ତ୍ରିପାଠୀ ନିଜକୁ ସଭାପତି ପରିଚୟ ଦେବା ଭିତ୍ତିହୀନ ବୋଲି ସଂଘର କର୍ମକର୍ତା ମାନେ କହିଛନ୍ତି। ଏଭଳି ବେଆଇନ କାର୍ଯ୍ୟ କରିଥିବା ଶ୍ରୀ ତ୍ରିପାଠୀ ଓ ତାଙ୍କୁ ପରାମର୍ଶ ଦେଇଥିବା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ନାମରେ ସଂଘ ସମ୍ପାଦକ ସମୀର ବିଶ୍ୱାଳ ପାରାଦ୍ୱୀପ ଥାନାରେ ଅଭିଯୋଗ କରିଛନ୍ତି।
ଆସୋସିଏସନର ସଦସ୍ୟମାନେ କହିଛନ୍ତି ଯେ, ପ୍ରଶାସନ ସମ୍ମୁଖରେ କିଛି ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରି ଆମ ସଂଘକୁ ବଦନାମ କରିବା ପାଇଁ ଶ୍ରୀ ତ୍ରିପାଠୀ ଅନବରତ ଚେଷ୍ଟା କରି ଚାଲିଛନ୍ତି । ବିଗତଦିନରେ ଆମ ସଂଘ ନାମରେ ବିଭିନ୍ନ ପ୍ରକାର କାଗଜପତ୍ର ଓ ଲେଟର ପ୍ୟାଡ଼କୁ ନକଲ କରି ଫାଇଦା ହାସଲ ପାଇଁ ଟିକେ ମଧ୍ଯ କୁଣ୍ଠାବୋଧ କରୁନାହାନ୍ତି। ପାରାଦ୍ବୀପ ବନ୍ଦରରେ କାର୍ଯ୍ୟରତ ୧୦୦୦ରୁ ଉର୍ଦ୍ଧ ଡ଼ିଏଲଆର ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କର ସମସ୍ୟାର ସମାଧାନ କରି ନ୍ୟାୟ ପ୍ରଦାନ କରିବା ନିମନ୍ତେ ୨୦୧୧ ମସିହାରେ ଟ୍ରେଡ଼ ୟୁନିୟନ ଆକ୍ଟ ଜରିଆରେ ସଂଘ ରେଜିଷ୍ଟ୍ରିଭୁକ୍ତ କରାଯାଇଥିଲା।
୨୦୧୪ ମସିହାରୁ ଶ୍ରୀ ସରଖେଲ ସଭାପତି ଭାବେ ଦାୟିତ୍ୱ ନେଇ ଡ଼ିଏଲଆର ଠିକା ଶ୍ରମିକ ଓ କର୍ମଚାରୀଙ୍କର ବହୁ ସମସ୍ୟାର ସମାଧାନ କରିଛନ୍ତି। ତାଙ୍କର ଭଲପାଇବା, ସାଙ୍ଗଠନିକ ଦକ୍ଷତା ଯୋଗୁଁ ଆମ୍ଭେ ସଦାସର୍ବଦା ତାଙ୍କ ନିକଟରେ ଚିରଉଣୀ ଏବଂ କୃତଜ୍ଞ। ରାଜ୍ୟରେ ବର୍ତମାନ ଥିବା ବିଜେପି ସରକାରରେ ପାରାଦୀପର ବିଧାୟକ ତଥା ରାଜ୍ୟର ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଇଙ୍ଗିତରେ ଶ୍ରୀ ତ୍ରିପାଠୀ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହିତ କୋରଜବରଦସ୍ତ ଧମକପୂର୍ଣ ଭାବେ ସମସ୍ତ କାର୍ଯ୍ୟକୁ ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଣୁ ବାରମ୍ବାର ଆମର ସଂଘର ଲେଟର ପ୍ୟାଡ଼କୁ ଦୁରୁପଯୋଗ କରୁଥିବା ଶ୍ରୀ ତ୍ରିପାଠୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଦସ୍ୟମାନେ ଦାବି କରିଛନ୍ତି। ଶ୍ରୀ ତ୍ରିପାଠୀ ଓ ତାଙ୍କ ସହିତ ନିଜକୁ ଆମ ସଂଘର କର୍ମକର୍ତା ବୋଲି ପରିଚୟ ଦେଉଥିବା ବ୍ୟକ୍ତିବିଶେଷ ମାନେ ଆମ୍ଭ ସଂଘରେ ପୂର୍ବରୁ କେବେ ନ ଥିଲେ କି ଆଜି ବି ନାହାନ୍ତି। ମନ୍ଦ ଉଦ୍ଦେଶ୍ୟର ବ୍ୟକ୍ତିବିଶେଷ ଆମ ସଂଘର ଲେଟର ପ୍ୟାଡ଼ ଅପବ୍ୟବହାର କରୁଥିବାର ନଜିର ଆସିବାରୁ ଗତ ୨୦୨୪ ମସିହା ଅକ୍ଟୋବର ମାସରେ ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କରାଇଥିଲୁ। ପ୍ରତ୍ୟେକ ବର୍ଷ ପରି ଏଥର ମଧ୍ୟ ସଂଘର ବାର୍ଷିକ ରିଟର୍ନ ଫାଇଲ କରାଯାଇଥିବା ବେଳେ ଏହାର ଏକକିତା ନକଲ ବନ୍ଦରର ସଚିବ ମହୋଦୟଙ୍କୁ ପ୍ରଦାନ କରାଯାଇଛି ବୋଲି ସଦସ୍ୟମାନେ କହିଛନ୍ତି।
