ଅଚ୍ୟୁତ ସାମନ୍ତଙ୍କୁ ହାଜର ପାଇଁ ନୋଟିସ୍
ଭୁବନେଶ୍ୱର : କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରୁ ବାହାର କରିବା ମାମଲାରେ ଆଜି ରାଜ୍ୟ ସରକାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନୋଟିସ୍ ପଠାଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଅଚ୍ୟୁତଙ୍କୁ ନୋଟିସ୍ ଜାରି ହୋଇଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଏହି ନୋଟିସ୍ ପଠାଇଛନ୍ତି। ୨୧ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ ଅତିଥିଭବନରେ ଥିବା ମିନି କନଫରେନ୍ସ ହଲରେ ଉଚ୍ଚସ୍ତରୀୟ କମିଟିଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ଆବଶ୍ୟକ କାଗଜପତ୍ର ଓ ତଥ୍ୟପ୍ରମାଣ ସହ ଆସିବାକୁ କୁହାଯାଇଛି । ତେବେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୧୮ତାରିଖରେ ଗଠିତ ହୋଇଥିବା ୩ଜଣିଆ ସଦସ୍ୟ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି କେଉଁ ସବୁ ଦିଗ ଉପରେ ତଦନ୍ତ କରିବ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।