ପୋର୍ଟ ଡମ୍ଫର ସଙ୍ଘ ଟଙ୍କା ନଦେଇ ଅଡୁଆରେ ସିୱେଜ ସଂସ୍ଥା
ପାରାଦ୍ଵୀପ: ପାରାଦ୍ଵୀପକୁ ଲାଇମଷ୍ଟୋନ ଆଣି ଆସିଥିବା ବିଶ୍ବ ପ୍ରେରଣା ନାମକ ଜାହାଜ ପାରାଦ୍ଵୀପ ବନ୍ଦରର ଆଙ୍କରେଜ ଏରିଆରେ ଅଟକିଛି। ରାତିରେ ଜାହାଜଟି ପାରାଦ୍ଵୀପ ବନ୍ଦରର ବର୍ଥ ଛାଡି ଆଙ୍କରେଜ ଏରିଆରେ ଲଙ୍ଗର ପକାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତ ୧୦ ମାସ ହେଲା ସିଓ୍ବେଜ ସିପିଂ ଷ୍ଟିଭେଡୋର ସଂସ୍ଥା ପୋର୍ଟ ଡମ୍ଫର ସଙ୍ଘର ୪ କୋଟିରୁ ଅଧିକ ଟଙ୍କା ବାକି ରଖିଛି। ଏପରିକି ସଙ୍ଘକୁ ତେଲ ଟଙ୍କା ମଧ୍ୟ ଦେଇନାହିଁ। ଟଙ୍କା ବାକି ଥିବାରୁ ପୋର୍ଟ ଡମ୍ଫର ସଙ୍ଘ ଗାଡ଼ି ଦେବାକୁ ମନା କରିଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସପି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ। କମ୍ପାନୀ ଓ ଡମ୍ଫର ସଙ୍ଘ ମଧ୍ୟରେ ଆଲୋଚନା କରାଯାଇ ବକେୟା ଟଙ୍କାର ୧୦ ପ୍ରତିଶତ ଅର୍ଥାତ ୪୦ ଲକ୍ଷ ଦେବାକୁ ସିଓ୍ବେଜ ସିପିଂ ସଂସ୍ଥାକୁ କୁହାଯାଇଥିଲା। ମାତ୍ର କମ୍ପାନୀ ସନ୍ଧ୍ୟା ସୁଦ୍ଧା ଏହି ଟଙ୍କା ଡମ୍ଫର ସଙ୍ଘକୁ ଦେଇ ପାରିନଥିଲା। ଅପେକ୍ଷା କରି ଟଙ୍କା ନପାଇବା ପରେ ଗାଡ଼ି ଦେବାକୁ ଡମ୍ପର ସଂଙ୍ଘ ମନା କରିଥିଲା। ୧୦ ମାସ ବାକିରେ କାମ କରିଛୁ। ୪କୋଟି ଟଙ୍କା ବାକିଥିବା ବେଳେ କମ୍ପାନୀ ମାତ୍ର ୪୦ଲକ୍ଷ ଟଙ୍କା ଦେଇପାରିଲାନି। ଆମେ ଆଉ ବାକିରେ କାମ କରି ପାରିବୁନି ବୋଲି ସଙ୍ଘର ସଭାପତି ବିଜୟ ନାୟକ କହିଥିଲେ। ଜାହାଜଟି ବର୍ଥରେ ଅଟକି ରହିବାରୁ ଏହି ଜାହାଜକୁ ଅନ୍ୟ ଷ୍ଟିଭେଡୋର ସଂସ୍ଥା ମାଧ୍ୟମରେ କାମ କରିବାକୁ ଉଦ୍ୟମ ଚାଲିଥିଲା। ହେଲେ କିଛି ନିଷ୍ପତ୍ତି ହୋଇ ନପାରିବାରୁ ଜାହାଜ ଆଙ୍କରେଜ ଏରିଆକୁ ଚାଲିଯାଇଛି।
